କଦଳୀ ପଟୁଆ ଡଙ୍ଗାଟି ମୋହର ହସଖୁସି ମନେ ଭାସିଯା, ଆମରି ପୂରୁବ ସୁବର୍ଣ୍ଣ ଗୌରବ ସନ୍ଦେଶ ନେଇ ଭାସିଯା । ଓଡ଼ିଆ ସାଧବ ହୃଦେ ବାନ୍ଧି ଦମ୍ଭ ସାଗରେ ବୋଇତ ବାହେ, ଦେଶ ଦେଶାନ୍ତରେ ବାଣିଜ୍ୟ ବେପାରେ ଯଶ କେତନ ଉଡାଏ । ତଅପୋଈ କଥା ତା କରୁଣ ଗାଥା ଖୁଦୁରୁକୁଣୀର ପୂଜା, ବାଲିଯାତରାର ହସଖୁସି ମେଳା - ସାଧବ ସ୍ମୃତିରେ ଭିଜା । "ଆ କା ମା ବଇ ପାନଗୁଆ ଥୋଇ" ସଂଗୀତର ତାଳେ ତାଳେ, ମାସ ଗୋଟାକର ଧରମ ସାଉଁଟି ଡଙ୍ଗା ମୋର ଭାସେ ଜଳେ । ଯାଇଅଛି ବିତି ସେ କାଳର କୀର୍ତ୍ତି ଆଜି ବି ଆମର ମାନ, ଆମରି ପ୍ରେରଣା, ଜାତିର ଚେତନା - ଆଗେଇବା ଆମ କାମ । ସମୟର କ୍ରମେ ଶୀଥିଳ କରମେ ଭୁଲିଛୁ ନିଜ ସାମର୍ଥ୍ୟ, ସମୃଦ୍ଧି ପଥରେ ପଡିଛୁ ପଛରେ ଆଗ କରି ଆତ୍ମ ସ୍ଵାର୍ଥ । ଗୋପବନ୍ଧୁ ବାଣୀ ବିସ୍ମୃତ ହେଲାଣି, ମଧୂବାବୁ ଇତିହାସ, ଫିକା ଜାତି ପ୍ରୀତି, ସ୍ଵାର୍ଥ ସାରଥୀ, ତୋଷାମଦ ସରବସ୍ଵ । ଦେଶ ଜାତି ମିଶି ଯାଆନ୍ତୁ ମାଟିରେ ଭଲରେ ଆମେ ଥାଉଟି, ସଂସ୍କୃତି ଆମର ଲୁଚୁଛି ଲାଜରେ ଦେଖି ଏଇ ଢଙ୍ଗ ରୀତି । ଭାଷାଟା ଆମର ଶାସ୍ତ୍ରୀୟ ହୋଇଛି ନୂଆପୀଢି ପାଇଁ ବିଷ, ବରଷକେ ଥରେ ପର୍ବ ପାଳିଦେଲେ ଆମର କର୍ତ୍ତବ୍ୟ ଶେଷ । ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ସାହସ ପଡିବ କି କେବେ ମନେ । କଦଳୀ ପଟୁଆ ଡଙ୍ଗାଟି ମୋହର ହସଖୁସି ମନେ ଭାସିଯା, ଆମରି ପୂରୁବ ସୁବର୍ଣ୍ଣ ଗୌରବ ସନ୍ଦେଶ ନେଇ ଭାସିଯା । ତୋହରି ଭସାଣୀ ତୋ ଦୀପ ରୋଷଣୀ ମନେଭରେ ଟିକି ଆଶା, ଆମରି ଜନନୀ ହସିବ ପୁଉଣି ପ୍ରଭୁ କାଳିଆ ଭରସା । (ମନୀନ୍ଦ୍ର କୁମାର ମହାନ୍ତି)
|